ଗୁରୁବାର, ସେପ୍ଟେମ୍ବର 15, 2016

ଭାଗବତ ଜନ୍ମ – ୫୦୦ ବର୍ଷର ସ୍ମୃତି ଉଜ୍ଜୀବିତ କରୁଚି ଓଡ଼ିଶା




ଭାଦ୍ରବ ମାସ ପୂର୍ଣ୍ଣିମାକୁ ଭାଗବତ ଜନ୍ମଦିନ ରୂପେ ଓଡ଼ିଶାରେ ପାଳନ କରାଯାଏ ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥିତ ଅଛି ଓଡ଼ିଆ ଭାଷାର ପ୍ରସାର କରିବା ଦିଗରେ ଏବଂ ଓଡ଼ିଆମାନଙ୍କ ଭଗବତ ସଂହତି ରକ୍ଷା କରିବା ଦିଗରେ ଓଡ଼ିଆ ଭାଗବତର ଅବଦାନ ଅସୀମ ଓଡ଼ିଆ ଭାଗବତ ଓଡ଼ିଆ ଭାଷାର ଚିରନ୍ତନ ଅମୂଲ୍ୟ ବିଭବ ଓଡ଼ିଆ ଜାତିର ଜୀବନ ଧାରାରେ ମିଶିଛି ଭାଗବତ  । ଭାଗବତର ଭାବ ଓ ଉଦ୍ଦେଶ୍ୟ ଆସ୍ତିକ ହିନ୍ଦୁ ମାନଙ୍କର ଭଗବତ ବିଶ୍ୱାସ ଓ ଧର୍ମଧାରାକୁ ଅଧିକ ପ୍ରାଞ୍ଜଳ ଓ ଅନୁପ୍ରାଣିତ କରିବା ହେତୁ ଓଡ଼ିଶାର ପୁରପଲ୍ଲୀରେ ଏହାର ଆଦର ଓ ସମ୍ମାନ ରହିଛି । ଏଥିରେ ରହିଛି ଲୋକଶିକ୍ଷା ଓ ସାମାଜିକ ସହାବସ୍ଥାନ ତଥା ମୃତ୍ୟୁ ସଚେତନ ହେବାପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ବାଣୀ  । ରୋଗରେ ପଡ଼ିଲେ କିମ୍ବା ମୃତ୍ୟୁର ସମୟ ସନ୍ନିକଟ ହେଲେ , ଓଡ଼ିଆଟିଏ ଭାଗବତ ଅଧ୍ୟାୟେ ଶୁଣିବାକୁ ଇଚ୍ଛା ବ୍ୟକ୍ତ କରେ । ପୂର୍ବେ ଭାଗବତ ପ୍ରତି ଓଡ଼ିଆଘରେ ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ, ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ  ଭାଗବତ ପାଠ କରାଯାଉଥିଲା । ଏବେବି ଅନ୍ତିମ ଶଯ୍ୟା ନିକଟରେ  ଭାଗବତ ବୋଲାଯିବାର ଭାବନା ଓ ବିଶ୍ବାସ ଅତୁଟ ରହିଛି


ଭାଗବତାର ସୃଷ୍ଟି  ବାବଦରେ ଜାଣିବାକୁ ହେଲେ ଆମକୁ ୫୦୦ବର୍ଷର ଓଡ଼ିଶା ଇତିହାସର ପୃଷ୍ଠା ଲେଉଟାଇବାକୁ ପଡ଼ିବ । ଓଡ଼ିଆ ଜାତି ପାଇଁ ଜଗନ୍ନାଥଙ୍କ ପ୍ରେରିତ ଭାବେ ପୁରୀଠାରୁ ୧୪ କିମି ଦୂର କପିଳେଶ୍ଵରପୁର ଶାସନ  ଗ୍ରାମରେ ପିତା ଭଗବାନ ଦାସ ଓ ମାତା ପଦ୍ମାବତୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ଅତିବଡୀ ଜଗନ୍ନାଥ ଦାସ ତାଙ୍କ ଜନ୍ମତିଥିକୁ ନେଇ ବିଭିନ୍ନ ମତ ରହିଥିଲେ ମଧ୍ୟ ସେ ୧୪୯୨ ମସିହାରେ ପବିତ୍ର ରାଧାଷ୍ଟମୀ ତିଥିରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ ଓ ମାତ୍ର ୫୯ ବର୍ଷ ବୟସରେ ୧୫୫୨ରେ ଇହଲୀଳା ସମ୍ବରଣ କରିଥିଲେ ବୋଲି ଏକ ମତବାଦ ଅଛି ତେଣୁ ସମଗ୍ର ଓଡ଼ିଶାରେ ୧୯୯୨ ମସିହାରେ ଜଗନ୍ନାଥ ଦାସଙ୍କ ୫୦୦ତମ ଜନ୍ମ ଜୟନ୍ତି ପାଳନ ହୋଇଥିଲା ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସେ ହେଉଛନ୍ତି ଚୈତନ୍ୟଙ୍କ ସମସାମୟିକ ପଞ୍ଚଦଶ ଶତାବ୍ଦୀର କବି ଓ ଭକ୍ତି ଧାରାର ଆବାହକ ପଞ୍ଚ ଶଖାଙ୍କ ମଧ୍ୟରୁ ଜଣେ
ଜଗନ୍ନାଥ ଦାସ ପଞ୍ଚମ ବର୍ଷରେ ବିଦ୍ୟାରମ୍ଭ କରିଥିଲେ । ସେ ପ୍ରଥମେ ଗ୍ରାମ ଚାଟଶାଳୀରେ ବର୍ଣ୍ଣପାଠ ଓ ଅଙ୍କ ଆଦି ଶିଖିଥିଲେ । ଉପନୟନ ପରେ ପିତାଙ୍କ ନିକଟରେ ଅମରକୋଷ, ଅଭିଧାନ ଏବଂ କଳାପ ଓ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣ କଣ୍ଠସ୍ଥ କରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ଯଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ । ନ୍ୟାୟ ବେଦାନ୍ତ ଆଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ରାମାୟଣ ଆଦି ଧର୍ମଶାସ୍ତ୍ର ସମସ୍ତ ପଢ଼ିବା ପରେ ସେ ଭାଗବତ ଅଧ୍ୟୟନ କରିଥିଲେ । ସେ ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀକୁ ନିତି ଆସୁଥିଲେ । ମନ୍ଦିର ଭିତର ବେଢ଼ାରେ ସେ ବଟଗଣେଶଙ୍କ ନିକଟରେ ବସି ଶ୍ରାମଦ ଭାଗବତ ପାଠ କରୁଥିଲେ । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା  ଥିଲେ । ତାଙ୍କ ଅନ୍ତେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ବ୍ୟାସଦେବ ରଚିତ ସଂସ୍କୃତ ଶ୍ରୀମଦ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା ତଥାପି ଶ୍ରୀମନ୍ଦିର ବେଢାରେ ଏହାର ନିତି ସଞ୍ଜେ ପଠନ  ହେଉଥିଲାଜଗନ୍ନାଥ ଦାସ ସଂସ୍କୃତ ଭାଗବତକୁ ଶ୍ରୋତାମଣ୍ଡଳୀରେ ସରଳ  ଓଡ଼ିଆ ଭାଷାରେ ଉପସ୍ଥାପନ କରୁଥିଲେଜଗନ୍ନାଥଙ୍କ ମାଆ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦେଲେ । ବିଧବା ମାବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ଜଗନ୍ନାଥ ଦାସ ଗୋସ୍ଵାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ । ରଚନାଟି ବାରଟି ଖଣ୍ଡରେ ବିଭକ୍ତ କରି ପ୍ରତି ଖଣ୍ଡରେ ୧୦ ରୁ ୩୦ ଟି ଅଧ୍ୟାୟ, ପ୍ରତି ଅଧ୍ୟାୟରେ ୫୦ ରୁ ୩୦୦ ଛନ୍ଦ ରଚିଲେ
ଶ୍ରୀ ଚୈତନ୍ୟ ଦେବ ପୁରୀଠାରେ ଅବସ୍ଥାନ କରୁଥିବା ସମୟରେ ଏକଦା ଦେଖିଲେ ବଡ଼ ଦେଉଳ  ବେଢ଼ା ମଧ୍ୟସ୍ଥ ଅକ୍ଷୟ ବଟମୂଳରେ ବସି ଉନେଇଶ ବର୍ଷୀୟ ଜଗନ୍ନାଥ ଦାସ ଗୋପଲୀଳାରୁ ବ୍ରହ୍ମାସ୍ତୁତି ଗାନକରୁଛନ୍ତି ସେହି କ୍ଷଣି ଚୈତନ୍ୟଦେବ ଜଗନ୍ନାଥଙ୍କ ଭକ୍ତିପ୍ରବଣତାରେ ମୁଗ୍ଧ ହୋଇ 'ଅତିବଡ଼' ଉପାଧିରେ ଡାକିଲେ ତଦବଧି ଜଗନ୍ନାଥ ଦାସ ଅତିବଡ଼ୀ ଜଗନ୍ନାଥ ଦାସ ନାମରେ ଖ୍ୟାତ ହେଲେ
ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ନିତି ଭାଗବତ ପାଠ ହୁଏ । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି/ ଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଲା । ଜଗନ୍ନାଥ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ପୁରୀର ସାତଲହଡ଼ି ମଠରେ ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ଏହି ଭାଗବତ ଟୁଙ୍ଗି ପ୍ରଥମେ ଆତ୍ମପ୍ରକାଶ କଲା କ୍ରମେ ସମଗ୍ର ଓଡ଼ିଶାରେ ଗଢ଼ି ଉଠିଲା । ଭାଗବତର ନିତ୍ୟ ଅଭ୍ୟାସକୁ ସମ୍ଭବ କରିବାପାଇଁ ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗି ନାମରେ ଏକ ସ୍ୱତନ୍ତ୍ର ଘର ନିର୍ମାଣ କରାଗଲାଏଠାରେ ଓଡ଼ିଆ ଭାଗବତକୁ ବିଧିବତ ପୂଜା କରି ରଖାଗଲା ଓ ପ୍ରତିଦିନ ସଞ୍ଜବେଳେ ଲୋକେ ଏକତ୍ର ହୋଇ ଏହାର ପଠନ ଓ ଶ୍ରବଣ କଲେ । ଭାଗବତ ଟୁଙ୍ଗୀର ଦାୟିତ୍ୱ ନେଲେ ବାନପ୍ରସ୍ଥାଶ୍ରୟୀ ପ୍ରୌଢ଼ମାନେ ।  ପାଠୁଆ-ଅପାଠୁଆ, ଯୁବକ-ବୃଦ୍ଧ ଜାତି ବର୍ଣ୍ଣ ନିର୍ବିଶେଷରେ ଏଇ ଘର ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଲା ଏହାଛଡ଼ା ଗାଁର ସମସ୍ତଙ୍କୁ ଏଇଠୁ ନୈତିକ ଶିକ୍ଷା ମିଳିଲା, ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ଯାପନର ଗୁରୁମନ୍ତ୍ର ସେମାନେ ଏଇଠୁ ଶିଖିଲେପୁରାଣ ଶାସ୍ତ୍ର ଚର୍ଚ୍ଚା ସେମାନଙ୍କର ଚେତନାର ବିକାଶ କରିବା ସହିତ ସେମାନଙ୍କୁ ଆନନ୍ଦିତ ଓ ସୁସ୍ଥ ରହିବାର ଅନେକ ସୂତ୍ର ଶିଖାଇଥିଲା । ଝାଞ୍ଜ, ଗିନି, ଖଞ୍ଜଣୀ,କରତାଳ, ମୃଦଙ୍ଗ ବ୍ୟବହାର କରି ସଙ୍ଗୀତ ଓ ଗାୟନ- କୀର୍ତ୍ତନ ଶିକ୍ଷାର ସୂତ୍ରପାତ ଏଇ ଘରୁ ହିଁ ହେଲା ଆଜି ବି ଗାଁ ଗାଁରେ ଲୋକେ ଭାଗବତ ସପ୍ତା, ପାରାୟଣ ଓ ହରି ହାଟ ଆଦି ମାଧ୍ୟମରେ ଏହାର ପଠନ ଓ ଶ୍ରବଣ କରିଥାନ୍ତି ।


ଭାଗବତକୁ ସାମାଜିକ ଜୀବନଧାରା ଅନ୍ତର୍ଗତ କରିବା ନିମନ୍ତେ ଭଗବତ୍ ଗାଦି ବା ଟୁଙ୍ଗି ର ସୃଷ୍ଟି । ଏହା ସେତେବେଳେ  ଗ୍ରାମ୍ୟ ଜୀବନ ର ପ୍ରାଣ କେନ୍ଦ୍ର ରୁପେ ପରିଚିତ ହେବା ସହିତ ଆଧ୍ୟାତ୍ମିକ ମନୋରଞ୍ଜନ ର ଏକ ମାଧ୍ୟମ ଥିଲା । ମାତ୍ର ବର୍ତ୍ତମାନ ବିଡମ୍ବନା ଏହା ଯେ, ସମାଜିକ ଓ ମାନସିକ ପରିବର୍ତ୍ତନ  ହେତୁ ଏହା ମୂଳ ପରମ୍ପରାଠାରୁ ଅନେକ ଦୂରରେ ଓଡ଼ିଆ ଜାତିର ଏବଂ ଓଡ଼ିଶାର ଭାଗବତ ଟୁଙ୍ଗି ପରମ୍ପରା ଆମ ପୂର୍ବ ପୁରୁଷଙ୍କର ପରମ୍ପରା ସମାଜରେ ଧର୍ମ ଶୃଙ୍ଖଳା ଏବଂ ଲୋକ ଚରିତ୍ର ଗଢ଼ିବାରେ ରହିଆସିଛି ଏହାର ଅତୁଳନୀୟ ଅବଦାନ ହେଲେ ଆଜି ଏ ଭଳି ମହାନ ପରମ୍ପରା ଅବହେଳା କାରଣରୁ କ୍ଷୟ ହବା ଦିଗରେ ଅଗ୍ରସର  ବାସ୍ତବରେ ଆନ୍ତରିକତାର ସହ ଆତ୍ମ ସମୀକ୍ଷା କରି ଦୃଢମନା ହୋଇ କାର୍ଯ୍ୟ କଲେ ଏହାର ଅବକ୍ଷୟିତ ରୂପ ଓ ପୂର୍ବ ସାଂସ୍କୃତିକ ପରିବେଶର ଯେ ପୁନରୁଦ୍ଧାର ହୋଇପାରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ